96

ଆଜି ମହାପ୍ରଭୁଙ୍କୁ ଯେଉଟ ଭୋଗ, କାଲି ଜନ୍ମାଷ୍ଟମୀ ।

ପୁରୀ,୧୦/୮: ଚଳିତ ୧୧ ତାରିଖ ମଙ୍ଗଳବାର ଜନ୍ମାଷ୍ଟମୀ । ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ । ସେହି ଦିନରୁ ଶୁଭାରମ୍ଭ ହେବ ଶ୍ରୀକୃଷ୍ଣଙ୍କ ବାଲ୍ୟଳୀଳା । ସୋମବାର ଠାରୁ ସ୍ୱତନ୍ତ୍ର ବିଧି ପାଳନ ହେବ । ଶ୍ରୀକୃଷ୍ଣଙ୍କ ଜନ୍ମ ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଯେଉଟ ଭୋଗ ଲାଗି କରାଯିବ । ଗର୍ଭଯନ୍ତ୍ରଣାରୁ ଉପଶମ ପାଇଁ ଏହି ଭୋଗ ଲାଗି ହୁଏ । ଗର୍ଭଉଦକ ବନ୍ଦାପନା ନୀତି ସମ୍ପନ୍ନ ହେବ । ସନ୍ଧ୍ୟାଧୂପ ନୀତି ପରେ ଠାକୁରଙ୍କ ଜନ୍ମାଷ୍ଟମୀ ବିଧି ଅନୁଷ୍ଠିତ ହେବ । ଶ୍ରୀକୃଷ୍ଣଙ୍କ ଜନ୍ମଠାରୁ ସମସ୍ତ ଲୀଳାଗୁଡିକ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ । ଏହି ସମୟରେ ବିଭିନ୍ନ ରୀତିନୀତି ସହ ଶ୍ରୀବିଗ୍ରହଙ୍କୁ ବିଭିନ୍ନ ବେଶ କରାଯାଏ । ମହାପ୍ରଭୁଙ୍କ ବନଭୋଜି ବେଶ ସହ କୋଳି ବିକା, ବକାସୁର ଓ ଅର୍ଘାସୁର ବଧ, କାଳୀୟ ଦଳନ ବେଶ ଓ ଧେନୁକାସୁର ବଧ, ପ୍ରଳମ୍ବାସୁର ବଧ ଓ ଶ୍ରୀକୃଷ୍ଣ ବଳାରାମ ବେଶ, ବସ୍ତ୍ର ହରଣ ଲୀଳା ଓ ସପ୍ତପୁରୀ ଅମାବାସ୍ୟା, ଦାବାଗ୍ନି ଲୀଳା, ନିକୁଞ୍ଜ ଲୀଳା, ଅନ୍ଧ ମନ୍ଦିର ହାତୀ ପ୍ରସ୍ତାବ, ବିମ୍ବାସୁର ବଧ ଲୀଳା, କୃଷ୍ଣଲୀଳା ଓ ଲବଣିଖିଆ ନୀତି ପାଳିତ ହେବ । ବନଭୋଜି ବେଶ ଓ କାଳୀୟଦଳନ ବେଶରେ ମହାପ୍ରଭୁଙ୍କୁ ଦେଖିଲେ କୃଷ୍ଣଙ୍କ ଭଳି ଦୃଶ୍ୟମାନ ହୁଅନ୍ତି ମହାପ୍ରଭୁ । ଏହି ଦେବ ନୀତିରେ ଶ୍ରୀକ୍ଷେତ୍ରବାସୀମାନେ ପ୍ରତ୍ୟକ୍ଷଭାବେ ଅଂଶଗ୍ରହଣ କରିଥାନ୍ତି । ଶ୍ରୀକ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ତେବେ କରୋନା ସଙ୍କଟ ଯୋଗୁ ଏଥର ମହୋତ୍ସବ ଫିକା ପଡ଼ିବା ନିଶ୍ଚିତ ହେଉଛି ।
Spread the love