ରାଜକନିକା,୧୬/୮(ଓଡ଼ିଆନ୍ ମିଡ଼ିଆ): ରାଜକନିକାସ୍ଥିତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ପ୍ରାକ୍ତନ ଶାଖା ପରିଚାଳକ ଅଜାମ୍ବର ବିଶ୍ୱାଳଙ୍କର (୬୧) ବର୍ଷ ବୟସରେ ପରଲୋକ ହୋଇଯାଇଛି । ହୃଦ୍ଘାତ୍ ଜନିତ କାରଣରୁ ତାଙ୍କର ପରଲୋକ ହୋଇଯାଇଥିବାର ଜଣାପଡ଼ିଛି । ତାଙ୍କ ପରଲୋକ ଖବର ପାଇଁ ଆଳିର ପୂର୍ବତନ ବିଧାୟକ ଦୋଳଗୋବନ୍ଦ ନାୟକ, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ରାଜକନିକା ବ୍ଲକ୍ କାଳିକାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ବିଶ୍ୱାଳ ଜଣେ ପରୋପକାରୀ, ଧର୍ମପରାୟଣ ଏବଂ ସାମାଜିକ ଅନୁଷ୍ଠାନ ପ୍ରିୟ ବ୍ୟକ୍ତି ଭାବେ ପରିଚିତ ରହିଥିଲେ । ମା’ କାଳିକାଈଙ୍କ ପୂଜାଉତ୍ସବ କାର୍ଯ୍ୟକ୍ରମରେ ତାଙ୍କ ବହୁ ସହଯୋଗ କରିଥିଲା । ଏହା ସହିତ ରାଜକନିକାରେ ଫୁଟବଲ କ୍ରୀଡ଼ାର ଉନ୍ନତି ପାଇଁ ରାଜକନିକା ଆଥ୍ଲେଟିକ୍ ଆସୋସିଏସନ୍କୁ ବହୁ ସହଯୋଗ କରୁଥିଲେ । ଏହା ସହିତ ଗାଁର ଉନ୍ନତି ପାଇଁ ସେ ସବୁବେଳେ ଉଦ୍ୟମ ଜାରି ରଖିଥିଲେ । ଗାଁର ଯୁବକ ମାନଙ୍କୁ ଗାଁର ଉନ୍ନତି ସହିତ ସାମାଜିକ କାର୍ଯ୍ୟକ୍ରମରେ ଭାଗନେବା ପାଇଁ ସେ ସବୁ ବେଳେ ପ୍ରେରଣା ଯୋଗାଉଥିଲେ । ଏହା ସହିତ ଚାଷୀ ଏବଂ ଚାଷର ଉନ୍ନତି ପାଇଁ ରାଜକନିକା ବ୍ଲକ୍ରେ ୧୬ଟି ସମବାୟ ସମିତି ମାଧ୍ୟମରେ ତାଙ୍କର ଅନେକ ଅବଦାନ ରହିଥିଲା । ତାଙ୍କ ସମୟରେ ଚାଷୀମାନେ ବହୁ ପରିମାଣରେ ଉନ୍ନତି କରିଥିବାର ମଧ୍ୟ ଜଣାପଡ଼ିଛି । ତାଙ୍କ ବାସଭବନ ପରିସରରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା । ତାଙ୍କର ଏକ ମାତ୍ର ପୁତ୍ର ଜ୍ୟୋତ୍ରିମୟୀ ବିଶ୍ୱାଳ ମୁଖାଗ୍ନି ଦେଇଥିଲେ । ତାଙ୍କ ଅକାଳ ପରଲୋକରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ତାଙ୍କ ପରଲୋକ ଖବର ପାଇଁ କଟଂପଡ଼ା ବଜାରକୁ ବନ୍ଦ କରି ବଣିକ ସଂଘ ପକ୍ଷରୁ ଶୋକ ପ୍ରକାଶ କରାଯାଇଥିଲା । ଗଡ଼ାଗର ସମବାୟ ସମିତିର ସଂପାଦକ ପ୍ରଣତ କୁମାର ସାହୁ, କାଟଣା ବଣିଆଁ ସମବାୟ ସମିତିର ସଂପାଦକ ସଞ୍ଜୟ କୁମାର ବିଶ୍ୱାଳ, ପ୍ରାକ୍ତନ ସୁପରଭାଇଜର ଗିରୀଶ ଚନ୍ଦ୍ର ଦାସ, ବରୁଣା ସମବାୟ ସମିତିର ସଂପାଦକ ଅସୀତ୍ କୁମାର ବେହୁରିଆ, ବରାଡ଼ିଆ ସମବାୟ ସମିତିର ସଂପାଦକ ବଂଶୀଧର ନାୟକ, ସାମାଜିକ କର୍ମୀ ସଞ୍ଜୟ କୁମାର ମଲ୍ଲିକ ଏବଂ ସାମ୍ବାଦିକ ଶୁଭ୍ରାଂଶୁ ସୂତାର ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ତାଙ୍କ ପରିବାର ବର୍ଗଙ୍କୁ ଶାନ୍ତ୍ୱନା ପ୍ରଦାନ କରିଛନ୍ତି ।
226