Skip to content
ରାଜକନିକା,୨୩/୮(ଓଡିଆନ ମିଡ଼ିଆ): ରାଜକନିକା ବ୍ଲକ୍ର ଗଙ୍ଗାଧରପ୍ରସାଦ ଡ଼ିଆର ଖରସ୍ରୋତା ନଦୀ କୂଳରେ ରହିଥିବା ଚାଷ ଜମିରେ ବଉଳା କୁମ୍ଭୀର ବୁଳୁଥିବାର ଚାଷୀମାନେ ଦେଖି ଭୟଭୀତ ହୋଇପଡ଼ିଛନ୍ତି । ଚାଷୀମାନେ ବିଲରେ ଅଧା ଚାଷ କାମ ଛାଡ଼ି ଦୈଡ଼ା ଦୈଡ଼ି ହୋଇ ଘରକୁ ଫେରିଆସିଛନ୍ତି । ପ୍ରାୟ ୧୨ରୁ ୧୪ ଫୁଟ୍ ଲମ୍ବର ବଉଳା କୁମ୍ଭୀର ବିଲ ଭିତରେ ଗାଠ ଗଣ୍ଡି ଭଳି ପଡ଼ିରହିଥିଲା । ଚାଷ କାମରେ ବ୍ୟସ୍ତ ରହିଥିବା ଚାଷୀଙ୍କୁ ଛପି ଛପି ଆକ୍ରମଣ କରିବାକୁ କୁମ୍ଭୀରର ଯୋଜନା ରହିଥିବାର କୁହାଯାଇଛି । ଏତେ ବଡ଼ କୁମ୍ଭୀରକୁ ନଦୀ ଛାଡ଼ି କୁମ୍ଭୀରକୁ ଜମିରେ ଦେଖି ଚାଷୀଙ୍କ ହାଳୁଆ ଶୁଖିଯାଇଛି । କେମିତି ନଦୀ କୂଳରେ ଚାଷ କରିବେ ସେହି ଚିନ୍ତାରେ ରହିଛନ୍ତି ଚାଷୀ । ଭିତରକନିକା ପାଇଁ ସ୍ଥାନୀୟ ବାସିନ୍ଦା ଯେତେ ଉପକୃତ ହୋଇନାରୁ ନାହାଁନ୍ତି, ତାଠାରୁ ବେଶୀ କ୍ଷତିରେ ପଡ଼ୁଥିବାର ଅଭିଯୋଗ ହେଉଛି । ଗତ କିଛି ଦିନ ତଳେ ପୋଖରୀ, ଗୁହାଳ ଘରେ ଏବଂ ଗାଁ ଦାଣ୍ଡରେ ବି କୁମ୍ଭୀରଙ୍କୁ ଧରି ବନ ବିଭାଗ ଉଦ୍ଧାର କରିଥିବାର ଜଣାପଡ଼ିଛି । ଏହି ବିଶ୍ୱପ୍ରସିଦ୍ଧ ଭିତରକନିକାର ପ୍ରାକୃତିକ ଶୋଭା ସମ୍ପଦ ସହିତ ତା’କୋଳରେ ବସବାସ କରୁଥିବା ଜୀବଜନ୍ତୁ ପାଇଁ ମଧ୍ୟ ପ୍ରିସିଦ୍ଧି ଲାଭ କରିଛି । ହେଲେ ଭିତରକନିକା ନଦୀନାଳରେ ବିଚରଣ କରୁଥିବା ବଉଳା କୁମ୍ଭୀର ପାଇଁ ପ୍ରତିବର୍ଷ ଅନେକ ପରିବାରର ସୁଖ ସଂସାର ଭାଙ୍ଗିଯାଉଛି । କିଏ ସବୁଦିନ ପାଇଁ ବିଧବା ହୋଇଯାଉଛିତ କିଏ ତା ବାପା, ମା’, ଭାଇ ଭଉଣୀ, ଦାଦା ଖୁଡ଼ିଙ୍କୁ ସବୁଦିନ ପାଇଁ ହରାଇବାକୁ ପଡ଼ୁଛି । ଏହା ସହିତ ନଦୀକୂଳରେ ରହିଥିବା ଶହଶହ ଏକରର ଚାଷ ଜମି ପଡ଼ିଆ ପଡ଼ୁଛି । ହେଲେ ଏହାର ପ୍ରତିକାର ହୋଇପାରୁ ନାହିଁ । ଭିତରକନିକା ସଂଲଗ୍ନ ରାଜନଗର, ରାଜକନିକା, ଆଳି ଏବଂ ମହାକାଳପଡ଼ା ଅଂଚଳରେ ନଦୀନାଳରେ କୁମ୍ଭୀରଙ୍କର ରହିଛି ଅବାଧ ଚଳପ୍ରଚଳ । ଆଉ ବର୍ଷାଦିନ ଆସିଲେ ନଦୀର ଉପରମୁଣ୍ଡକୁ ଖାଦ୍ୟ ମାଛ କଙ୍କଡ଼ା ଖାଇବା ପାଇଁ ପଳାଇଆସନ୍ତି କୁମ୍ଭୀର । ଏହି କାରଣରୁ କୁମ୍ଭୀରମାନେ ଜୁଲାଇ ମାସ ଠାରୁ ଅକ୍ଟୋବର ମାସ ଯାଏ ନଦୀରେ କୁମ୍ଭୀରଙ୍କର ଅଧିକ ସଂଖ୍ୟାରେ ଦେଖାଦେଇଥାନ୍ତି । ଆଉ ଅନେକ କୁମ୍ଭୀର ନଦୀରେ ରହିଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି । ନଦୀରେ ମାଛ ଧରିବା ହେଉକି କାରବାର କରିବା ସହିତ ଗାଧୁଆ ପାଦୁଆ ସମୟରେ କୁମ୍ଭୀରଙ୍କ ଆହାର ବନୁଛନ୍ତି ମଣିଷ । ଏହା ସହିତ ନଦୀକୂଳରେ ଶହଶହ ଏକର ଚାଷ ଜମିରେ ଚାଷ କରିବା ସମୟରେ ଯାଇଛି ଅନେକ ନିରୀହ ଗରିବ ଚାଷୀଙ୍କ ଜୀବନ । ଏହି କାରଣରୁ ଗତ କିଛି ବର୍ଷ ହେବ ନଦୀକୂଳରେ ଚାଷ କରିବାକୁ ଚାଷୀମାନେ ଆଉ ଭରସା କି ସାହସ ଜୁଟାଇପାରୁ ନାହାଁନ୍ତି । ବର୍ଷା ଦିନ ଆରମ୍ଭରୁ କୁମ୍ଭୀରମାନେ ନଦୀର ଉପରମୁଣ୍ଡକୁ ପଳାଇଆସନ୍ତି । ଏହି ସମୟରେ ଲୋକମାନେ ସତର୍କ ରହିବା ଦରକାର । ଏହା ସହିତ ବନ ବିଭାଗ ପକ୍ଷରୁ ସତର୍କ କରାଯାଉଛି । ହେଲେ ଅନେକ ସ୍ଥାନରେ ନଦୀରେ ବାଡ଼ ଘେରା ତୁଠ କରାଯାଇପାରୁ ନାହିଁ । ଫଳରେ କୁମ୍ଭୀର ଆକ୍ରମଣରେ ଯାଉଛି ଜୀବନ । ଏହା ସହିତ ନଦୀକୂଳ ଅଂଚଳରେ ରହିଥିବା ଜମି ଗୁଡ଼ିକରେ ରାଜ୍ୟସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା ଗ୍ରହଣ କରିବାକୁ କୁମ୍ଭୀର ଗବେଷକ ଆଶିଷ ସେନାପତି କହିଛନ୍ତି ।