ରାଜନଗର,୨୬ା୮; ରାଜନଗର ବ୍ଲକରେ ଲଘୁଚାପଜନିତ ଲଗାଣ ବର୍ଷା ବେହାଲ ପରିସ୍ଥିତି ସୃଷ୍ଟି କରିଛି । ପୁର୍ବରୁ ଲଘୁଚାପରେ ହୋଇଥିବା ବର୍ଷାଜଳ ଭେଢା ମଧ୍ୟରୁ ନିଷ୍କାସନ ହୋଇନପାରିବାରୁ ଧାନଗଛ ପାଣିରେ ବୁଡି ରହିଥିଲା । ଗତ ୨୪ତାରିଖ ରାତ୍ରୀରୁ ବର୍ଷା ଲାଗିରହିବା ଫଳରେ ସମଗ୍ର ବ୍ଲକରେ ଜୀବନ ଯାତ୍ରା ବ୍ୟାହତ ହୋଇଛି । ଘରୁ ବାହାରିବା କଷ୍ଟକର ହେଉଛି । ମାତ୍ର କିଛିଦିନ ତଳେ ଅନିୟମିତ ବର୍ଷାଯୋଗୁ ଧାନ ଚାଷ ବହୁତ ପଛେଇ ଯାଇଥିଲା । ଲଘୁଚାପ ଫଳରେ ବର୍ଷା ହେଲା ସିନା ମାତ୍ର ଚାଷିମାନେ ମହରଗରୁ ଯାଇ କାନ୍ତାରରେ ପଡିଛନ୍ତି । ଲଘୁଚାପଜନିତ ଲଗାଣ ବର୍ଷା ଲାଗିରହିବା ଫଳରେ ଚାଷଜମିଗୁଡିକ ପାଣୀରେ ବୁଡିରହି ଧାନଗଛ ପଚିବାକୁ ଲାଗିଲାଣି । ଏହି ବ୍ଲକ ମହିଁସାସୁର, କୁରୁଣ୍ଟି, ଡେରା, ଗୁପ୍ତି, ମହୁଲିଆ, ଚାନ୍ଦିବାଉଁଶମୂଳ, ଭିତରଗଡ, କଣ୍ଡିରା, ଘଡିଆମାଳ, ଈଶ୍ୱରପୁର, ଖମାରସାହି, ଡାଙ୍ଗମାଳ, କୃଷ୍ଣନଗର, ତାଳଚୁଆ, ବାଘମାରୀ, ରଙ୍ଗଣି, କେରୁଆଁପାଳ ପ୍ରଭୃତି ପଞ୍ଚାୟତର ଚାଷଜମି ବିଶେଷ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଏହି ବ୍ଲକରେ ୨୫ହଜାର ହେକ୍ଟର ଚାଷଜମିରେ ଧାନଚାଷ କରାଯାଇଥିଲା । ଏପରିକି ବର୍ଷା କାରଣରୁ ଚାଷ ବିଳମ୍ବ ହେବାରୁ ଚାଷିମାନେ ଅଧିକ ପରିମାଣରେ ସାରର ବ୍ୟବହାର କରିଥିଲେ । ଧାନଗଛ ଗୁଡିକ କଅଁଳ ଥିବାରୁ ବୁଡିରହିବା ଫଳରେ ପଚିବା ଆରମ୍ଭ କରିଛି ବୋଲି ଚାଷିମାନେ କହିଛନ୍ତି । ଏହାଛଡା ଅନେକ ପଞ୍ଚାୟତରେ ଧାନଛାଷ ନିକଟରେ ବେୟାଇନ ଚିଙ୍ଗୁଡିଘେରି ଗୁଡିକ ଗଢିଉଠିବା ଫଳରେ ସେମାନଙ୍କ ଯୋଗୁ ଜଳ ନିଷ୍କାସନ ସମସ୍ୟା ଉପୁଜିଛି । ଅନେକ ସ୍ଥାନରେ ପାଣିନାଳକୁ ଅବରୋଧକରି ଏହି ଚିଙ୍ଗୁଡିଘେରୀ ଗୁଡିକ ନିର୍ମାଣ କରାଯାଇଛି । ପ୍ରଶାସନ ନିକଟରେ ଯେତେ ହାରୀ ଗୁହାରୀ କଲେ ମଧ୍ୟ ଶୁଣୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।
କାହ୍ନୁଚରଣ ଚଣ୍ଡ- ଲଘୁଚାପଜନିତ ଲଗାଣ ବର୍ଷା ଚଳିତବର୍ଷ ଧାନ ଚାଷକୁ ବହୁତ କ୍ଷତି କରିବ । ବିଶେଷକରି କର୍ଲଭଟ ଗୁଡିକରେ ସଟର ଲାଗିଲା ନାହିଁ । ଫଳରେ ଭେଢା ମଧ୍ୟରୁ ଜଳ ନିଷ୍କାସନ ପାଇଁ ବାଧା ଉପୁଜିଛି । ଲଘୁଚାପ ପାଇଁ ସମୁଦ୍ର ଓ ନଦୀଗୁଡିକ ଜୁଆରିଆ ରହୁଥିବାରୁ ଭେଡାମଧ୍ୟରୁ ବର୍ଷାଜଳ ନିଷ୍କାସନ ହୋଇନପାରିବାରୁ ଧାନଗଛ ପଚିବାକୁ ଲାଗିଲାଣି । ସୁଧିର ପାଳ- ଲଘୁଚାପଜନିତ ଲଗାଣବର୍ଷା ଆମ ଚାଷୀ କୂଳ ପାଇଁ ଲାଭ ବଦଳରେ କ୍ଷତି ଅଧିକ ହେବାକୁ ଯାଉଛି । ନାଳଗୁଡିକ ପୋତିହୋଇଗଲାଣି ସେଗୁଡିକର ପୂନରୁଦ୍ଧାର କରାଯାଉନାହି ଁ । ଡ୍ରେନେଜ ଡିଭିଜନ କାମ ବିଶେଷ ନାହିଁ । ପ୍ରଶାସନ ବର୍ଷାପୂର୍ବରୁ ଧ୍ୟାନଦେଲେ ଚାଷୀକୂଳ ଏଭଳି ଅସୁବିଧା ଭୋଗ କରନ୍ତେ ନାହି ଁ ।
ସନ୍ତୋଷକୁମାର ମଣ୍ଡଳ- ଜଳସେଚନ ବିହୀନ ଏହି ବ୍ଲକରେ ବର୍ଷା ଉପରେ ନିର୍ଭରକରି ଚାଷିଚାଷକାମ କରିଥାଏ । ମାତ୍ର ପାଣିନାଳ ସାଙ୍ଗକୁ କର୍ଲଭଠ ଗୁଡିକୁ ପ୍ରଶାସନ ସଜାଡୁନାହି ଁ । ଫଳରେ ମରୁଡି ପରିସ୍ଥିତି ଉପୁଜିଲେ ଚାଷିମାନେ କ୍ଷତିଗ୍ରସ୍ଥ ହେଉଥିବା ବେଳେ ସମୁଦ୍ରକୂଳିଆ ଏହି ବ୍ଲକରେ ଲଘୁଚାପଜନିତ ଲଗାଣ ବର୍ଷା ଚାଷୀମାନଙ୍କ ପାଇଁ ଅନେକ ସମୟରେ ବିପଦ ଭାବେ ଉଭା ହେଉଛି । ଧାନଫସଲ କ୍ଷତିଗ୍ରସ୍ତ ହେଉଛି । ସରକାର ଏନେଇ ଚିନ୍ତା କରିବାର ସମୟ ଆସିଛି ।