ପୁରୀ,୬ ।୯ : ପୁରୀ ଶ୍ରୀମନ୍ଦିର ମହାପ୍ରସାଦ ଉପରେ ଲାଗିଛି କଟକଣା । ବରାଦ ଭୋଗ ଉପରେ ଲାଗିଛି ଏହି କଟକଣା । ଅତି ଆବଶ୍ୟକ ହେଲେ ମହାପ୍ରସାଦ ଶ୍ରଦ୍ଧାଳୁଙ୍କୁ ଦିଆଯିବ । କିନ୍ତୁ ଜିଲ୍ଲା ବାହାରର ଲୋକଙ୍କ ମହାପ୍ରସାଦ ଦେବା ମନା ହୋଇଛି । ଅବଢ଼ା ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଦୈନିକ ଭକ୍ତଙ୍କ ଭିଡ଼ ରହୁଛି। ବିଭିନ୍ନ ପର୍ବପର୍ବାଣୀରେ ଏହି ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ଯାହା ଭୟଙ୍କର ସଂକ୍ରମଣର ବାତାବରଣ ସୃଷ୍ଟି କରୁଛି। ଏନେଇ ସୁଆର ମହାସୁଆର ନିଯୋଗ ସମ୍ପାଦକ ସୂଚନା ଦେଇଛନ୍ତି । ଏହାକୁ ଆଖି ଆଗରେ ରଖି ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିର ରୋଷଶାଳାରେ ମହାପ୍ରସାଦ ରୋଷେଇ ବନ୍ଦ କରିବାକୁ ଯୋଜନା କରିଛି। ଜିଲ୍ଲାପାଳ ଆଜି ବୈଠକ ଡାକି ଏ ସଂପର୍କିତ ପ୍ରସ୍ତାବ ବି ସୁଆର ମହାସୁଆର ନିଯୋଗକୁ ଦେଇ ସାରିଥିବା ଜଣାପଡ଼ିଛି। ଅନ୍ୟପଟେ ଜିଲ୍ଲାପାଳଙ୍କ ଏହି ପ୍ରସ୍ତାବ ପରେ ସୁଆର ମହାସୁ୍ଆର ନିଯୋଗ ଶ୍ରୀମନ୍ଦିର ଭିତରେ ରହିଥିବା କାର୍ଯ୍ୟାଳୟରେ ବୈଠକ ଡାକିଛି। ଶ୍ରୀମନ୍ଦିର ପ୍ରଶାସନର ତାଗିଦ ସତ୍ତ୍ବେ ନିଯୋଗର ଏହି ବୈଠକ ସେବାୟତଙ୍କୁ ବିପଦ ଭିତରକୁ ଠେଲି ଦେଇଛି। ଶ୍ରୀମନ୍ଦିର ପରିସର ମଧ୍ୟରେ କେତେକ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରାଯାଉନଥିବା ପରିଲକ୍ଷିତ ହେଉଛି। ମନ୍ଦିର ପରିସରରେ ସରକାରୀ କଟକଣା ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ ନହେଲେ ଭବିଷ୍ୟତରେ ସଂକ୍ରମଣ ଭୀଷଣ ରୂପ ନେବାର ଆଶଙ୍କା ରହିଛି। ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ଭିତର ପରିବେଶରେ କୌଣସି ସଭାସମିତି ଓ ଭୋଜିଭାତ ଆୟୋଜନ ନ କରିବାକୁ ଚିଠି ମାଧ୍ୟମରେ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଛି। ଏହା ଫଳରେ ସମସ୍ତ ନିଯୋଗର ସଦସ୍ୟମାନେ ସୁରକ୍ଷିତ ରହିବା ସହ ଶ୍ରୀମନ୍ଦିରର ସମସ୍ତ ସେବାୟତ ସଂପ୍ରଦାୟ ସୁରକ୍ଷିତ ରହିପାରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ ଉଲ୍ଲେଖ କରିଛି। ଏହାକୁ ଗୁରୁତ୍ବର ସହ ଗ୍ରହଣ କରିବାକୁ ବି କୁହାଯାଇଛି। ଏଭଳି ପରିସ୍ଥିତିରେ ସୁଆର ମହାସୁଆର ନିଯୋଗର ସଦସ୍ୟମାନଙ୍କୁ ନେଇ ଆଜି ଜିଲ୍ଲାପାଳଙ୍କ ଅବଢ଼ା ଉପରେ ବୈଠକ ଓ ମହାପ୍ରସାଦ ରୋଷେଇ ବନ୍ଦ ପାଇଁ ପ୍ରସ୍ତାବ ଚର୍ଚ୍ଚାର ବିଷୟ ପାଲଟିଛି। ବରାଦି ଅବଢ଼ା ରୋଷେଇ ବନ୍ଦ କରି କେବଳ କୋଠଭୋଗ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦିଆଯାଇଛି।
123