100

ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଅଣ୍ଡାରୁ ବାହାରିଲେ ଛୁଆ

ରାଜନଗର,୧୦/୯; ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ବସାଗୁଡିକରୁ ଛୁଆ ବାହାରିଛନ୍ତି । ବନବିଭାଗ ପକ୍ଷରୁ ହ୍ୟାଚେରୀ ମଧ୍ୟରେ ପ୍ରସ୍ତୁତ କରାଯାଇଥିବା କୃତ୍ରିମ ବସାରେ ୫୮ଟି ଅଣ୍ଡା ରଖାଯାଇଥିଲା । ସେଥିରୁ ୪୮ଟି ଛୁଆ ବାହାରିଛନ୍ତି । ସେମାନଙ୍କୁ ହ୍ୟାଚେରୀ ମଧ୍ୟରେ ରଖାଯାଇଛି । ସେହିଭଳି ଚଳିତବର୍ଷ କନିକା ରେଞ୍ଜ ଅଂଚଳେô ୯୧ଟି ବସା ଚିହ୍ନଟ କରାଯାଇଥିଲା । ମା କୁମ୍ଭୀର ଅଣ୍ଡାରୁ ଛୁଆ ଫୁଟିବା ପରେ ସେମାନଙ୍କୁ ନିଜ ପାଟିରେ ନେଇ ନଦୀ ଓ ନାଳମାନଙ୍କରେ ଛାଡି ଦେଇଛନ୍ତି । ସୂଚନା ଥାଉକି, ରାଜନଗର ବନଖଣ୍ଡରେ ୧୦୩ଟି କୁମ୍ଭୀର ବସା ଚଳିତ ବର୍ଷ ଠାବ କରାଯାଇଥିଲା । ବନଖଣ୍ଡ ଅନ୍ତର୍ଗତ କନିକା ରେଞ୍ଜରେ ମୁଖ୍ୟତଃ ନଦୀ ନାଳ କଡରେ ସର୍ବାଧିକ ୯୧ଟି ବସା ଠାବ କରାଯାଇଥିଲା । ରାଜନଗର ରେଞ୍ଜରେ ୯ଟି ବସା ଚିହ୍ନଟ କରାଯାଇଥିଲା । ଗହୀରମଥା ଓ ମହାକାଳପଡା ରେଞ୍ଜରେ ଦୁଇଟି ଲେଖାଏ ବସା ଚିହ୍ନଟ କରାଯାଇଥିଲା । ସାଧାରଣତଃ କୁମ୍ଭୀରମାନଙ୍କର ଫେବୃଆରୀରୁ ମାର୍ଚ୍ଚ ମଧ୍ୟରେ ମା କୁମ୍ଭୀର ସହ ପୁରୁଷ କୁମ୍ଭୀରର ମିଳନ ପର୍ବ ପରେ ପ୍ରାୟ ଏକମାସ ବ୍ୟବଧାନରେ ହେନ୍ତାଳ, ଖରଖରୀ ପ୍ରଭୃତି ଘାସ ଜାତୀୟ ପତ୍ରକୁ ଏକତ୍ରିତ କରି ମା କୁମ୍ଭୀର ତା ମଧ୍ୟରେ ଅଣ୍ଡା ଦେଇଥାଏ । ମା କୁମ୍ଭୀର ଅଣ୍ଡା ଦେବା ପରଠାରୁ ସେହି ବସା ନିକଟରେ ଜଗି ରହିଥାଏ । ଅଣ୍ଡା ଦେବାର ୭୫ଦିନରୁ ୮୦ଦିନ ମଧ୍ୟରେ ଛୁଆ ଫୁଟିଥାଏ । ଗୋଟିଏ ମା କୁମ୍ଭୀର ୩୦ରୁ୫୦ ପର୍ଯ୍ୟନ୍ତ ଅଣ୍ଡାଦାନ କରିଥାନ୍ତି । କୁମ୍ଭୀର ୧୨ ରୁ ୧୪ବର୍ଷ ମଧ୍ୟରେ ମାଈ କୁମ୍ଭୀରଟି ମା ହେବାକୁ ସକ୍ଷମ ହୋଇଥାଏ । ମା କୁମ୍ଭୀର ଛୁଆକୁ ଛାଡି ଦେଇଥିବା ବେଳେ କୁମ୍ଭୀର ଛୁଆଟି ବଂଚି ରହିବା ପାଇଁ ବହୁ ସଂଘର୍ଷ କରିବାକୁ ପଡିଥାଏ । ଭାରତର ବିଶିଷ୍ଟ ପ୍ରାଣୀ ବିଜ୍ଞାନୀ ତଥା କୁମ୍ଭୀର ବିଶାରଦ ଡଃ ସୁଧାକର କର କହନ୍ତି, ଛଚାଂଣ, ବଡମାଛ, ସାପ, ଗୋଧି ପ୍ରଭୃତି ଏହି ଛୁଆମାନଙ୍କୁ ଖାଇଦେଇଥାନ୍ତି । କୁମ୍ଭୀର ଛୁଆଟି ଛୋଟଛୋଟ ମାଛ ଓ ପୋକଜୋକ ଖାଇ ବଢିଥାଏ ।
Spread the love