112

ହଂସୁଆ ନଦୀ ଆଁରେ ଗୋବର୍ଦ୍ଧନପୁର ଗାଁ

ରାଜନଗର,୧୧/୯; ରାଜନଗର ବ୍ଲକ ବ୍ରାହ୍ମଣସାହି ପଚାଂୟତର ଗୋବର୍ଦ୍ଧନପୁର ଗାଁ ନିକଟରେ ହଂସୁଆ ନଦୀ ଗ୍ରାସ କରିବାରେ ଲାଗିଛି । ରାଜନଗର-ଗୋପାଳପୁରଲୁଣାଘେରୀ ବନ୍ଧର ବିଜୁଳିଆଠାରୁ ଗୋବର୍ଦ୍ଧନପୁର ପର୍ଯ୍ୟନ୍ତ ହଂସୁଆ ନଦୀ କୂଳଖାଇବାରେ ଲାଗିଛି । ଶହଶହ ଏକର ଚାଷଜମିକୁ ନିଜ ଗର୍ଭକୁ ନେଇଗଲାଣି । ବିଶେଷକରି ଗୋବର୍ଦ୍ଧନପୁର ଗାଁ ନିକଟରେ ନଦୀ ବନ୍ଧକୁ ବାରମ୍ବାର ଖାଇଯିବା ସହ ନଦୀବନ୍ଧ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଏପରିକି ୨୦୧୮ରେ ୧୦କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ଘେରୀବନ୍ଧର ପୁନଃନିର୍ମାଣ କରାଯାଉଛି । ମାତ୍ର ନଦୀ ଗ୍ରାସରୁ ଗାଁ, ଚାଷଜମି ଓ ସର୍ବୋପରି ନଦୀବନ୍ଧର ସୁରକ୍ଷା ପାଇଁ ତଟବନ୍ଧ ବିଭାଜନ ପକ୍ଷରୁ ପଦକ୍ଷେପ ନିଆଯାଇନଥିବାରୁ ଏଠାରେ ବାରମ୍ବାର ଅତଡା ଧସିବା ସହ ଘେରୀବନ୍ଧରେ ଘାଇ ସୃଷ୍ଟି ହେବାର ସମ୍ଭାବନା ଦେଖା ଦେଇଛି । ଏଠାରେ ଘାଇ ସୃଷ୍ଟି ହେଲେ କେବଳ ଗୋବର୍ଦ୍ଧନପୁର ନୁହେଁ, ଏହି ପଚାଂୟତର ଓଲସାହି, ପ୍ରହରାଜପୁର, ବଡନାଉକଣା, ବିନ୍ଧାନାଉକଣା, ଜୟପୁର ସହ ମହିଁଷାସୁର ପଚାଂୟତର ମଙ୍ଗରାଜପୁର, ତରପଦା, ଧନେଶ୍ୱରପୁର ସହ ଅନ୍ୟ ଗାଁଗୁଡିକ ସହ ଚାଷଜମି ପ୍ରଭାବିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ପ୍ରାକ୍ତନ ସରପଚଂ ଦାମୋଦର ବିଶ୍ୱାଳ କହନ୍ତି, ଆମେ ବାରମ୍ବାର ଏନେଇ ପ୍ରଶାସନକୁ ହାରିଗୁହାରୀ କଲେ ମଧ୍ୟ କେହି ଶୁଣୁନାହାନ୍ତି । ବାରମ୍ବାର ଏଠାରେ ଅତଡା ଧସି ଘେରୀବନ୍ଧ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ସରକାର ଏହି ଘେରୀବନ୍ଧ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ନଦୀ ଗ୍ରାସରୁ ସୁରକ୍ଷା ଦେବା ପାଇଁ ଠୋସ ପଦକ୍ଷେପ ଗ୍ରହଣ କରିନଥିବାରୁ ଏହି ଟଙ୍କା ପାଣିରେ ପଡୁଛି । ଗୋବର୍ଦ୍ଧନପୁର ଗ୍ରାମର ମୁରବୀ ସୁରେନ୍ଦ୍ର ଦାସଙ୍କ ଅଭିଯୋଗ ଅନୁଯାୟୀ, ପ୍ରଶାସନ ନଦୀ ବନ୍ଧକୁ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ ନକରି ଏହାକୁ ସବୁଦିନିଆ ରାସ୍ତାରେ ପରିଣତ କରିବାର ସ୍ୱପ୍ନ ଦେଖୁଛି । ତଟବନ୍ଧ ବିଭାଜନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ କେବଳ ଠିକାଦାର ପୋଷିବା କାମରେ ରହିଛି । ଲୋକଙ୍କ ଧନଜୀବନକୁ ଗୁରୁତ୍ୱ ଦେଉନଥିବା ସେ ଅଭିଯୋଗ କରିଛନ୍ତି । ଏଭଳି ଏକ ସ୍ପର୍ଶକାତର ଘଟଣାକୁ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଗମ୍ଭୀରତାର ସହିତ ନେଇନଥିବା ଅଭିଯୋଗ ହେଉଛି । ଏଠାରେ ବାରମ୍ବାର ନଦୀଗ୍ରାସ କରିବା ଅଭିଯୋଗ ପରେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ଅନୁଧ୍ୟାନ କରି ଫେରି ଯାଇଛନ୍ତି । ଏଯାବତ୍ କାମ ଆରମ୍ଭ ହୋଇନି । ଏନେଇ ରାଜନଗର ବିଧାୟକ ଧୃବ ସାହୁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ମୁଁ ଏହି ଘଟଣା ଜାଣିବା ପରେ ବିଭାଗୀୟ ଉଚ୍ଚ କର୍ତୁପକ୍ଷଙ୍କ ସହିତ ଆଲୋଚନା କରି ଘଟଣାସ୍ଥଳ ଦେଖାଇଥିଲି । ଖୁବଶୀଘ୍ର ସେଠାରେ ପଥର ପ୍ୟାକିଂ କରାଯାଇ ନଦୀବନ୍ଧକୁ ସୁରକ୍ଷା ଦିଆଯିବ ବୋଲି କହିଛନ୍ତି ।

Spread the love