117

କଳିଙ୍ଗନଗରରେ ସ୍ଥାନୀୟ ଯୁବବର୍ଗଙ୍କ ପାଇଁ ଦକ୍ଷତା ପ୍ରଶିକ୍ଷଣ

କଳିଙ୍ଗନଗର, ୧୫/୯: କଳିଙ୍ଗନଗର ଓ ଏହାର ପାଶ୍ୱର୍ବର୍ତୀ ଅଂଚଳରେ ବସବାସ କରୁଥିବା ସ୍ଥାନୀୟ ଯୁବକ ଯୁବତୀମାନଙ୍କ ପାଇଁ ଜୀବନ ଜୀବିକାର ଅଧିକ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଆଜିଠାରୁ ଏକ ୩୦ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସିଭିଲ ନିର୍ମାଣ କାର୍ଯ୍ୟରେ ସ୍ଥାନୀୟ ଯୁବକ ଯୁବତୀମାନଙ୍କ ବୈଷୟିକ କୌଶଳରେ ଉନ୍ନତି ଆଣିବା ଲକ୍ଷ୍ୟରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ଏବଂ ପୂର୍ବରୁ ଜୁସ୍କୋ ନାମରେ ପରିଚିତ ଟାଟା ଷ୍ଟିଲ ୟୁଟିଲିଟିଜ୍ ଓ ଇନ୍‌ଫ୍ରାଷ୍ଟ୍ରକ୍‌ଚର ସର୍ଭିସେସ୍ ଲିମିଟେଡ଼ (ଟିଏସ୍‌ୟୁଆଇଏସ୍‌) ପକ୍ଷରୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ପ୍ରଶିକ୍ଷଣ ସମାପ୍ତ ହେବା ପରେ ସେମାନଙ୍କୁ ଟିଏସ୍‌ୟୁଆଇଏସ୍‌ର ନିର୍ମାଣ କାର୍ଯ୍ୟରେ ନିୟୋଜିତ କରାଯିବ । ଏହା ସେମାନଙ୍କୁ ଏକ ସ୍ଥାୟୀ ଆୟ ଉପାର୍ଜନ କରିବାରେ ସହାୟତା ହେବ ବୋଲି ଆଶା କରାଯାଉଛି । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ୪୦ ଜଣ ଯୁବକ ଯୁବତୀଙ୍କୁ ଏଠାରେ ଉଭୟ ତାତ୍ୱିକ ଓ ବ୍ୟବହାରିକ ଜ୍ଞାନ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ପୂର୍ବରୁ ନିର୍ମାଣ ଶିଳ୍ପରେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି, କିନ୍ତୁ ବର୍ତମାନ ସେମାନେ ଅନ୍ୟ କୌଣସି ସ୍ଥାନରେ କାର୍ଯ୍ୟ ପାଇପାରୁନାହାନ୍ତି । ଏହି ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଶ୍ରୀ ରାମଚନ୍ଦ୍ର ତାପେଙ୍କ କହିବା ଅନୁଯାୟୀ “ଆଜିକାଲି କୌଣସି ସ୍ଥାନରେ ଚାକିରୀ ଉପଲ୨ ହେଉ ନାହିଁ ଓ ଏଭଳି ସମୟରେ ନିଜ ଜନ୍ମଭୂମିରୁ ବାହାରକୁ ଯିବା ବହୁତ କଷ୍ଟକର । ନିଜ ଘର ନିକଟରେ ରୋଜଗାରର ସୁଯୋଗ ପାଇବାଠାରୁ ଆଉ କିଛି ଭଲ ହୋଇପାରିବ ନାହିଁ” । ମହିଳାମାନଙ୍କୁ ମାସ୍କ ପ୍ରସ୍ତୁତି ଓ ଛତୁ ଚାଷରେ ନିୟୋଜିତ କରିବା ସହିତ ଟାଟା ଷ୍ଟିଲ ଫାଉଣ୍ଡେସନ୍‌ ଲକ୍‌ଡାଉନ୍‌ଠାରୁ ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ଜୀବନ ଜୀବିକାର ଅଧିକ ସୁଯୋଗ ଯୋଗାଇବା ଦିଗରେ କାର୍ଯ୍ୟ କରିଆସୁଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସହରାଂଚଳ ଭିତିଭୂମି ଓ ସେବା ପ୍ରଦାନ ପାଇଁ ନିର୍ମାଣ ଓ ଏହା ସମ୍ପର୍କିତ କାର୍ଯ୍ୟ ଏବଂ ଏହାର ରକ୍ଷଣାବେକ୍ଷଣ ହେଉଛି ସହରାଂଚଳ ଭିତିଭୂମି ସେବା ପ୍ରଦାନକାରୀ ସଂସ୍ଥା ଭାବେ ପରିଚିତ ଟିଏସ୍‌ୟୁଆଇଏସ୍‌ର ମୂଳ ଦକ୍ଷତା । କୋଭିଡ଼ ସମ୍ପର୍କିତ ସମସ୍ତ ସତର୍କତାମୂଳକ ପଦକ୍ଷେପ ଓ ସାମାଜିକ ଦୂରତ୍ୱର ପାଳନ କରି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି । ଟାଟା ଷ୍ଟିଲ ଓଡ଼ିଶା ସିଏସ୍‌ଆର ବିଭାଗ ମୁଖ୍ୟ ଶ୍ରୀ ଅମ୍ବିକା ପ୍ରସାଦ ନନ୍ଦ ମନୋନୀତ ଯୁବକ ଯୁବତୀଙ୍କ ସହିତ ପ୍ରଶିକ୍ଷଣ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଏହି ଅବସରରେ ଟାଟା ଷ୍ଟିଲ କଳିଙ୍ଗନଗର ସିଏସ୍‌ଆର ବିଭାଗ ମୁଖ୍ୟ ଶ୍ରୀ ଆଲେନ୍ ଜୋସେଫ୍ ଓ ଟିଏସ୍‌ୟୁଆଇଏସ୍ ଡେପୁଟି ଚିଫ୍ ମ୍ୟାନେଜର (କନଷ୍ଟ୍ରକସନ୍‌) ଶ୍ରୀ ସୌମିତ୍ର ସରକାର ପ୍ରମୁଖ ଉପସ୍ଥିତ ଥିଲେ ।
Spread the love