209

ନିଆଁରେ ପୋଡ଼ିହୋଇ ମହିଳା ଗୁରୁତର, ଯୌତୁକ ପାଇଁ ହତ୍ୟା ଅଭିଯୋଗ ଆଣିଲେ ମା’

ରାଜକନିକା,୨୧/୯ : ରାଜକନିକା ବ୍ଲକ୍ ଅନ୍ତର୍ଗତ ବଳରାମପୁର ଗ୍ରାମ ପଂଚାୟତର ଦେଓଗାଁର ଜଣେ ନବ ବିବାହିତା ମହିଳା ସୋମବାର ନିଆଁରେ ପୋଡ଼ିହୋଇ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛିି । ଝିଅକୁ ତାର ସ୍ୱାମୀ ଏବଂ ଶାଶୂ ଯୌତୁକ ପାଇଁ ନିଆଁରେ ପୋଡ଼ି ମାରିବାକୁ ଉଦ୍ୟମ କରିଥିବା ନେଇ ରାଜକନିକା ଥାନାରେ ଅଭିଯୋଗ ଆଣିଲେ ଝିଅର ମା’ ନହୁଣୀ ଗ୍ରାମ ପଂଚାୟତର ଅଦାସାହି ଗ୍ରାମର କୁନିଲତା ସାହୁ । ଅଭିଯୋଗ ମୁତାବକ ଦୁଇ ବର୍ଷ ତଳେ ଝିଅ ମଞ୍ଜୁଲତା(୨୬)କୁ ବଳରାମପୁର ଗ୍ରାମ ପଂଚାୟତର ଦେଓଗାଁର ସୁବାଶ ସାହୁଙ୍କ ସହିତ ବିବାହ କରାଇଥିଲେ । ହେଲେ ଅଧିକ ଯୌତୁକ ଦାବି କରି ଝିଅ ଉପରେ ଜ୍ୱାଇଁ ସୁବାଶ ଏବଂ ଶାଶୂ ନିର୍ଯାତନା ଦେଉଥିଲେ । ଏହି କାରଣକୁ ନେଇ ପ୍ରତିଦିନ ଝିଅ ଉପରେ ମାଡ଼ ଗାଳି ହେଉଥିଲା । ଏନେଇ ରାଜକନିକା ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ଏହି ସମସ୍ୟାର ସମାଧାନ ପାଇଁ ଗାଁରେ ଭଦ୍ରଲୋକମାନଙ୍କ ମାଧ୍ୟମରେ ଗତ କିଛି ମାସ ତଳେ ସମାଧାନ ବି ହୋଇଥିଲା । ହେଲେ ତାହା କିଛି ହେଲେ ମଞ୍ଜୁଲତାଙ୍କ ସମସ୍ୟାକୁ ସମାଧାନ କରିପାରି ନଥିଲା । ଫଳରେ ଅତିଶୟ କଷ୍ଟ ଯନ୍ତ୍ରଣାରୁ ମୁକ୍ତି ପାଇବା ନେଇ ଏଭଳି ଚରମ ନିଷ୍ପତି ନେଇ ମଞ୍ଜୁଲତା ଦେହରେ କିରାସିନି ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ କୁହାଯାଉଥିଲେ ମଧ୍ୟ ସତ୍ୟାସତ୍ୟ ଜଣାପଡ଼ି ନାହିଁ । ନିଆଁରେ ପୋଡ଼ି ହୋଇ ମଞ୍ଜୁଳତାଙ୍କ ଶରୀରରେ ୮୦ ଭାଗ ପୋଡ଼ିଯାଇଥିବାର ଜଣାପଡ଼ିଛି । ଏହି ଅଗ୍ନିକାଣ୍ଡ କାରଣରୁ ଘରେ ନିଆଁ ଲାଗିଯାଇଥିଲା । ଗ୍ରାମବାସୀଙ୍କ ଠାରୁ ଖବର ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁକୁ ଆୟତ କରି ମଞ୍ଜୁଲତାଙ୍କୁ ରାଜକନିକା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ପହଂଚାଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଠାରୁ ଖବର ପାଇ ରାଜକନିକା ଥାନାର ଏସ୍‌ଆଇ କାନନବାଳା ସାହୁ ରାଜକନିକା ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚି ମଞ୍ଜୁଳତାଙ୍କ ବୟାନ ସଂଗ୍ରହ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସମ୍ଭବପର ହୋଇପାରି ନଥିଲା । ସଙ୍କଟାପନ୍ନ ଅବସ୍ଥାରେ ମଞ୍ଜୁଲତାଙ୍କୁ ରାଜକନିକାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ମଞ୍ଜୁଲତା ଗର୍ଭବତୀ ରହିଥିବା ନେଇ କୁହାଯାଇଛି । ଏଭଳି ଅବସ୍ଥାରେ ଏହି ଅଘଟଣକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ମଞ୍ଜଲତାଙ୍କ ମା’ କୁନିଲତାଙ୍କ ଏତଲାକୁ ନେଇ ତଦନ୍ତ କରାଯିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜକନିକା ଆଇଆଇସି ସଞ୍ଜିବ କୁମାର ରଣବଇଁଶା କହିଛନ୍ତି ।
Spread the love