ଭୁବନେଶ୍ୱର,୧।୮(ଓଡିଆନ ମିଡିଆ): ଅଗଷ୍ଟ ୩ ତାରିଖରୁ ଉତ୍ତର-ପୂର୍ବ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ଶନିବାରଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ରବିବାରଠୁ ରାଜ୍ୟରେ ବର୍ଷା ବଢ଼ିବ ବୋଲି ପାଣିପାଗବିତ୍ ଏଭଳି ପୂର୍ବାନୁମାନ କରିଛନ୍ତି । ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ଆସନ୍ତା ସପ୍ତାହରେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ମୌସୁମୀ ଉତ୍ତର ଦିଗରୁ ଦକ୍ଷିଣ ଦିଗକୁ ମୁହାଁଇବା ପାଇଁ ପରିବେଶ ଅନୁକୂଳ ହୋଇଥିବାରୁ ପାଣିପାଗରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି । ଅଗଷ୍ଟ ୩ ସୁଦ୍ଧା ଏହି ଲଘୁଚାପ ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଅଞ୍ଚଳରେ ଘନୀଭୂତ ହେବାର ସମ୍ଭାବନା ରହିଛି। ଏଥିସହିତ ଅଗଷ୍ଟ ୪ରେ ଦକ୍ଷିଣ ଚୀନ୍ ସାଗରରେ ସୃଷ୍ଟ ଏକ ଲଘୁଚାପ ଏହି ଲଘୁଚାପ ସହ ମିଶିଯିବାର ସମ୍ଭାବନା ରହିଛି। ୩ ଓ ୬ ତାରିଖରେ ରାଜ୍ୟର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ୪ ତାରିଖ ରାଜ୍ୟର ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ । ଫଳରେ ଏହା ଅଧିକ ଶକ୍ତିଶାଳୀ ହୋଇପାରେ ବୋଲି ଡ. ସାହୁ ଆକଳନ କରିଛନ୍ତି। ସମ୍ଭାବିତ ଲଘୁଚାପର ପ୍ରଭାବରେ ଅଗଷ୍ଟ ୩ରୁ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ଥିବାବଳେ ଅଗଷ୍ଟ ୫ ସୁଦ୍ଧା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଡ. ସାହୁ ପୂର୍ବାନୁମାନ କରିଛନ୍ତି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ଯେ ଶନିବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ବିଜୁଳି ଓ ଘଡ଼ଗଡ଼ି ସହ ଝଡ଼ବର୍ଷା ହେବ । ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହେବା ସହ ୫ ତାରିଖରୁ ଗଭୀର ସମୁଦ୍ରକୁ ଯିବା ପାଇଁ ଧୀବରଙ୍କୁ ବାରଣ କରାଯାଇଛି ।
161