Skip to content
ନୂଆଦିଲ୍ଲୀ, ୨/୮:ରୁଷ ଆଗାମୀ ୧୨ ଦିନ ମଧ୍ୟରେ ଏହାର କରୋନା ଟିକା ବଜାର ପ୍ରବେଶ କରିବ ବୋଲି ଜଣାପଡ଼ିଛି। ଟିକା ଆଣିବା ପାଇଁ ଦେଶଗୁଡ଼ିକ ହେଉଛି ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ, କାନାଡ଼ା, ଇସ୍ରାଏଲ ଭଳି କିଛି ଧନୀ ରାଷ୍ଟ୍ର ଅନେକ ଔଷଧ କମ୍ପାନିଙ୍କ ସହିତ ଟିକା ଡୋଜ୍ ନେବା ପାଇଁ ଚୁକ୍ତି କରିଛନ୍ତି । ପ୍ରଥମେ ଟିକା ଦୌଡ଼ରେ ରୁଷ ଆଗରେ ନ ଥିଲା। ଚୀନ, ବ୍ରିଟେନ ଓ ଆମେରିକା ଆଦି ଆଗରେ ରହିଥିଲେ । କିନ୍ତୁ ରୁଷ ପ୍ରଥମେ ଟିକା ଆଣିବାକୁ ଯାଉଛି । ଆସନ୍ତା ୧୨ ଦିନରେ ହିଁ ବିଶ୍ୱରେ କରୋନା ଟିକା ରୁଷ ଲଞ୍ଚ କରିବ ବୋଲି ଦାବି କରିଛି । ମସ୍କୋର ଗାମଲେୟା ଇନଷ୍ଟିଚ୍ୟୁଟ ଦ୍ୱାରା ବିକଶିତ ଟିକା ଅଗଷ୍ଟ ୧୦-୧୨ ପୂର୍ବରୁ କରୋନା ଟିକା ଲୋକଙ୍କ ବ୍ୟବହାର ପାଇଁ ଉପଲବ୍ଧ ହେବ ବୋଲି କହିଛି । ଏହାପରେ କରୋନା ଟିକା ଫ୍ରଣ୍ଟଲାଇନ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯିବ । ଏଥିସହ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିବ ବୋଲି କୁହାଯାଇଛି । ସେପଟେ ୨୦୨୦ର ଶେଷସୁଦ୍ଧା ବିଶ୍ୱରେ ଏକ ନିରାପଦ ତଥା ପ୍ରଭାବୀ ଟିକା ଉପଲବ୍ଧ ହୋଇଯିବ ବୋଲି ଆମେରିକାର ବିଶିଷ୍ଟ ମହାମାରୀ ବିଶେଷଜ୍ଞ ଆନ୍ଥୋନି ଫସି ଆଶାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ବର୍ଷ ଶେଷ ସୁଦ୍ଧା କରୋନା ଟିକା ବାସ୍ତବତାର ରୂପ ନେବାକୁ ଯାଉଛି। ମୋ ମତରେ ଏହା ହିଁ ସତ୍ୟ। ଆମେରିକା ପକ୍ଷରୁ ‘ଅପରେସନ ୱାର୍ପ ସ୍ପିଡ’ ନାମକ ଏକ ଟିକା ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଭାରତର ପ୍ରଥମ କରୋନା ଟିକା କୋଭାକ୍ସିନର ଟ୍ରାଏଲ ଉତ୍ତରପ୍ରଦେଶରେ ଆରମ୍ଭ ହୋଇଯାଇଛି। କାନପୁରର ରାଣା ହସ୍ପିଟାଲ ଆଣ୍ଡ ଟ୍ରମା ସେଣ୍ଟରରେ ମୋଟ ୯ ଜଣ ସ୍ୱେଚ୍ଛାସେବୀଙ୍କୁ ଏହି ଟିକା ଦିଆଯାଇଛି । ଟିକା ନେବା ପରେ ସେମାନଙ୍କ ସ୍ଥିତି ଠିକଠାକ ରହିଛି । କୋଭାକ୍ସିନର ଟ୍ରାଏଲ ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ଏବଂ ସେମାନେ ସ୍ୱେଚ୍ଛାସେବୀ ହେବା ପାଇଁ ଆଗେଇ ଆସୁଛନ୍ତି। ଅନେକ ସଂଖ୍ୟକ ଲୋକଙ୍କର ପଞ୍ଜୀକରଣ କରାଯାଇଛି। ହାଇଦ୍ରାବାଦର ଭାରତ ବାୟୋଟେକ ଇଣ୍ଟରନ୍ୟାସନାଲ ଲିମିଟେଡ ଏବଂ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ, ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି ମିଳିତ ଭାବେ ଏହି ଟିକା ବିକାଶ କରିଛନ୍ତି।