90

ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ,ସାରା ରାଜ୍ୟରେ ୬ ଯାଏ ବର୍ଷିବ

ଭୁବନେଶ୍ୱର,୪/୮(ଓଡିଆନ ମିଡିଆ):   ଉତ୍ତର-ପୂର୍ବ ବଙ୍ଗୋପ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇସାରିଛି ।   ଆଜି ଉତ୍ତର ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ । ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି । ସାରା ରାଜ୍ୟରେ ୬ ତାରିଖ ଯାଏ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ପୂର୍ବାନୁମାନ କହୁଛି ଯେ, ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ । ୪ ଓ ୫ ତାରିଖରେ ବେଶି ବର୍ଷିବ । କେତେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହୋଇପାରେ । ତେବେ ଉପକୂଳ ଅଞ୍ଚଳ ତୁଳନାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବେଶି ବର୍ଷା କରାଇବ ଏହି ଲଘୁଚାପ । ସମ୍ଭାବ୍ୟ ଲଘୁଚାପ ପ୍ରଭାବ ଅନୁଭୂତ ହେଲାଣି । ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ମୟୂରଭଞ୍ଜ, ବୌଦ୍ଧ, ଢେଙ୍କାନାଳର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ଏହି ୭ ଜିଲ୍ଲା ପାଇଁ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । କଳାହାଣ୍ଡି, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, କଟକରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ଏ ଜିଲ୍ଲାଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।୫ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଓ ଉପକୂଳର ଅନେକ ଜାଗାରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୋନପୁରରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଥିବାରୁ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି ହୋଇଛି । ନୂଆପଡ଼ା, ବଲାଙ୍ଗିର, ଅନୁଗୁଳ, କେନ୍ଦୁଝରର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ତେଣୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୬ ତାରିଖ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନ ଓ ଉପକୂଳର ଅଳ୍ପ କେତେକ ଜାଗାରେ ବର୍ଷା ହେବ । ସୁନ୍ଦରଗଡ଼, କେନ୍ଦୁଝର, ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ । ୭ରୁ ବର୍ଷା କମିଯିବ ବୋଲି ପାଣିପାଗ ବିଭାଗ କହିଛି ।
Spread the love