71

ବନ୍ୟା ପାଣିରେ ବେହାଲ ମାଲକାନଗିରି

ମାଲକାନଗିରି ୧୯/୦୮: ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା କାରଣରୁ ମାଲକାନଗିରି ଜିଲା ସ୍ଥିତି ବେହାଲ ହୋଇପଡ଼ିଛି। ଅନେକ ସ୍ଥାନ ଜଳମଗ୍ନ ହେବା ସହ ବାହ୍ୟ ଜଗତରୁ ମାଲକାନଗିରି ଜିଲା ବିଚ୍ଛିନ୍ନ ହୋଇଛି। ମାଲକାନଗିରି ଜିଲ୍ଲାରେ ୬ ଦିନ ପରେ ଗତକାଲି ବର୍ଷା ଟିକିଏ କମିଥିବା ବେଳେ ଆଜି ପୁଣି ଲଗାଣ ବର୍ଷା ଜାରି ରହିଛି। ସିଲେରୁ ଓ ସାବେରୀ ନଦିର ପାଣି ଫୁଲିବା ଯୋଗୁଁ ମୋଟୁ ତହସିଲର ୬ଟି ଗାଁ ଜଳମଗ୍ନ ହୋଇ ରହିଛି । ବନ୍ୟା ପାଣିରେ ବୁଡି ରହିଛି ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳ। ରାଜ୍ୟର ଶେଷ ସୀମା ମୋଟୁ ମୁଗି ପଏଣ୍ଟରେ ସାତ ଫୁଟ ଉଚ୍ଚତାରେ ବନ୍ୟା ଜଳ ପ୍ରବାହିତ ହେଉଛି । ବନ୍ୟା ଯୋଗୁଁ ପୁରୁଣା ମୋଟୁ, ବିନାୟକପୁର, ଆଲମା, ପେଟା, ମୁରାଳିଗୁଡା ଓ ଜିଲେନଗୁଡା ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଛି । ଶହ ଶହ ହେକ୍ଟର ଚାଷ ଜମି ପାଣିରେ ବୁଡି ରହିଛି । କିଛି ଲୋକଙ୍କୁ ଉଦ୍ଧାର କରାଯାଇ ମୋଟୁ ବନ୍ୟା ଆଶ୍ରୟ ସ୍ଥଳିରେ ରଖାଯାଇଛି । ଆଉ କିଛି ବନ୍ୟା ବିପନ୍ନ ନିଜର ଘର ଦ୍ବାର ଛାଡି ରାସ୍ତା ଉପରେ ଆଶ୍ରୟ ନେଇଛନ୍ତି । ସେହିପରି ଗୋଦାବରୀ ନଦୀରେ ଜଳ ସ୍ତର ବଢୁଥିବାରୁ ମୋଟୁ ଅଞ୍ଚଳରେ ଆହୁରି ଅଧିକ ବନ୍ୟା ହେବାର ଆଶଙ୍କା ରହିଛି । ଆନ୍ଧ୍ରପ୍ରଦେଶର ପୋଲାଭରମ ପ୍ରକଳ୍ପ ଯୋଗୁଁ ଗତ କିଛି ବର୍ଷ ଧରି ମୋଟୁ ଅଞ୍ଚଳ ଏପରି ଭାବେ ବୁଡି ଯାଉଥିବା ଅଭିଯୋଗ ହୋଇଛି । ବନ୍ୟାରେ ଜିଲ୍ଲାର କାଲିମେଳା ଓ ପଡିଆ ବ୍ଲକ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣା ପଡିଛି । ଗତକାଲି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଙ୍କ ସହ ଏସି.ଆର.ସି ଆକାଶ ମାର୍ଗରୁ ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ପରେ କହିଛନ୍ତି ଯେ ବନ୍ୟାରେ ମାଲକାନଗିରି ଜିଲ୍ଲାରେ ୯୩୩ ଟି ଗାଁ ପ୍ରଭାବିତ ହୋଇଛି, ୩୨୧ ଟି ଘର ଭାଙ୍ଗିଥିବା ବେଳେ ୧୯୭୧ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି ।ତେବେ କ୍ଷୟକ୍ଷତି ଆକଳନ କରାଯାଇ ସମସ୍ତଙ୍କୁ ସହାୟତା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Spread the love