Skip to content
ବ୍ରହ୍ମପୁର,୧୯/୮(ମନୋଜ ପାତ୍ର): ବ୍ରହ୍ମପୁର ହରିଡାଖଣ୍ଡି ରୋଡ଼ ଲକ୍ଷ୍ମୀ ବିହାର ନିବାସୀ ଗୋବିନ୍ଦ ମହରଣାଙ୍କର ୬୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସ୍ଵର୍ଗତ ଗୋବିନ୍ଦ ମହାରଣା ଜଣେ ଅନନ୍ୟ କାଷ୍ଟ ଶିଳ୍ପୀ ଭାବେ ନିଜର କଳାରେ ପ୍ରସିଦ୍ଧ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ସମୟରେ ବ୍ରହ୍ମପୁରର ଏକାଧିକ ରଥରେ ମୁଖ୍ୟ ମହାରଣା ଭାବରେ ଦାଇତ୍ୱ ତୁଲାଇଆସୁଥିଲେ । କିନ୍ତୁ ଗତକାଲି ନିଜର ବାସ ଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସ୍ଵର୍ଗତ ମହାରଣା ବ୍ରହ୍ମପୁର ଠାକୁରାଣୀ ଯାତ୍ରା ସମୟରେ କଂସାରି ସାହିରେ ଶ୍ରୀ ପର୍ଶୁରାମ ରଥ, ଖାସ୍ପା ସାହିରେ ମା କନକ ଦୁର୍ଗାଙ୍କର ରଥ ନିର୍ମାଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏଥିପୂର୍ବରୁ ସେ ରାମ ରଥ ଓ ନାଗାର୍ଜୁନ ରଥ ନିର୍ମାଣକରିବାରେ ମୁଖ୍ୟ ଦାଇତ୍ୱ ତୁଲାଇଛନ୍ତି । ବିଗତ ବର୍ଷ ଜଗବନ୍ଧୁ ସାହି ଛକଠାରେ ଶ୍ରୀ ନୃସିଂହ ଠାକୁରଙ୍କ ରଥ ଏବଂ ସାନ ଜ୍ୱଳାମୁଖୀ ରଥରେ ମଧ୍ୟ ନିଜର କଳା ନୈପୁଣ୍ୟ ଦେଖେଇବାରେ ଅନେକ ଥର ପ୍ରଶଂସା ସାଉଁଟିଛନ୍ତି। ତେବେ ଆଜି ଏତେ ବଡ କାରିଗର ଶିଳ୍ପୀଙ୍କର ବିୟୋଗରେ ପୁଣି ହରେଇଛି ବ୍ରହ୍ମପୁର ମାଟି ଆଉ ଜଣେ ତାର ସୁଯୋଗ୍ୟ ସନ୍ତାନକୁ। ସେ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ଶଯ୍ୟା ନିକଟରେ ତିନି ପୁଅ, ଦୁଇ ଝିଅ ଝିଆରୀ ଜ୍ୱାଇଁ ଏବଂ ନାତି ନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ମହାରଣାଙ୍କ ଭଳି ଜଣେ ବିଜ୍ଞ ଅନୁଭୂତି ସମ୍ପର୍ଣ୍ଣ ବୟସ୍କ ଶିଳ୍ପୀ ହରେଇବା ଯୋଗୁ ସାଧାରଣରେ ଶୋକର ଛାୟା ଖେଳିଯାଇଛି।