88

ରାଜ୍ୟରେ ଲଗିରହିବ ପ୍ରବଳ ବର୍ଷା

ଭୁବନେଶ୍ୱର, ୨୪/୮ : ଆଜି ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୨୬ ତାରିଖ ଯାଏ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହାସହ ଆଜି ୯ ଜିଲ୍ଲାକୁ ଅରେଞ୍ଜ ଓ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଅନୁଗୁଳ, ଦାବଗଡ଼, ସୁନ୍ଦରଗଡ଼, ପୁରୀ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ସମ୍ଭାବ୍ୟ ବର୍ଷାକୁ ନେଇ ଉତ୍ତର ଓଡ଼ିଶାରେ ବନ୍ୟା ଆଶଙ୍କା ରହିଛି। ବିଶେଷ କରି ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ ଫୁଲିପାରେ। ଲଗାଣ ବର୍ଷାରେ ତଳି ଅଞ୍ଚଳ ଜଳମଗ୍ନ ହୋଇପାରେ। ଏହାକୁ ନେଇ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଜିଲ୍ଲାପାଳ, ତହସିଲଦାର ଓ ବିଡିଓଙ୍କୁ ସତର୍କ ରହିବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା।କୃଷି ପାଣିପାଗବିତ ଡକ୍ଟର ସୁରେନ୍ଦ୍ରନା ପଶୁପାଳକଙ୍କ କହିବାନୁଯାୟୀ ୨୪ ତାରିଖରେ ସମସ୍ତ ଉପକୂଳ ଜିଲ୍ଲା ଓ ଏହାର ସଂଲଗ୍ନ ଜିଲ୍ଲା ଏବଂ ସୁନ୍ଦରଗଡ଼ରେ ମଧ୍ୟମ ଧରଣର ବର୍ଷା(୨୫ମିଲିମିଟର) ହେବ । ସ୍ଥାନେ ସ୍ଥାନେ ଭାରି ବର୍ଷା ହେବ । ତେବେ ସମୂଦ୍ର ତଟବର୍ତ୍ତୀ ଅଞ୍ଚଳରେ ଭାରି ବର୍ଷା ସମ୍ଭାବନା ଅଛି । ୨୫ ତାରିଖରେ ବର୍ଷା ଆହୁରି ବଢ଼ିବ । ପୁରୀରୁ ଭଦ୍ରକ ପର୍ଯ୍ୟନ୍ତ କେତେକ ସ୍ଥାନରେ ଭାରି ବର୍ଷା ହୋଇପାରେ । ଢେଙ୍କାନାଳ, ଅନୁଗୁଳ, ପଶ୍ଚିମ କଟକ, କେନ୍ଦୁଝର, ବୌଦ୍ଧ, ସମ୍ବଲପୁର ଓ ଦେବଗଡ଼ରେ ଭାରି ବର୍ଷା (୩୫ରୁ ୬୫ ମିଲିମିଟର)ହୋଇପାରେ । ବାକି ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବ । ୨୬ରେ ଯାଜପୁର, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ ଓ ପୁରୀରେ ଭାରି ବର୍ଷା ସମ୍ଭାବନା ରହିଛି। ରାଜ୍ୟର ବାକି ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବ । ୨୭ରେ ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜରେ ମଧ୍ୟମରୁ ଭାରି ବର୍ଷା ହେବାବେଳେ ଦକ୍ଷିଣ ଓଡ଼ିଶାରେ ବର୍ଷା କମିଯାଇଥିବ । ୨୮ରୁ ସାରା ରାଜ୍ୟରେ ବର୍ଷା କମିବ । ଲଗାଣ ବର୍ଷା ଯୋଗୁ ଉତ୍ତର ଓଡ଼ିଶାରେ ନଦୀଗୁଡ଼ିକ ଫୁଲିବ । ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ସମେତ ସମସ୍ତ ନଦୀର ଉପର ଓ ତଳମୁଣ୍ଡାରେ ଅଧିକ ବର୍ଷା ସମ୍ଭାବନା ଥିବାରୁ ନଦୀ ଜଳସ୍ତର ବଢ଼ିବ ।

Spread the love