Skip to content
ଭୁବନେଶ୍ୱର୨୪/୮: କେବଳ ବଗଲା ଧର୍ମଶାଳା ଜମି ବିକ୍ରିରେ ଆଇନ୍ କାନୁନ୍କୁ ଜଳାଞ୍ଜଳି ଦିଆଯାଇ ନାହିଁ । ଶ୍ରୀମନ୍ଦିର ସୁରକ୍ଷା କରିଡର ନାଁରେ ରାଜ୍ୟ ସରକାର ଅଧିଗ୍ରହଣ କରିଥିବା ସମସ୍ତ ଜମି ବିବାଦୀୟ ଓ ବେଆଇନ୍। ବଗଲା ଧର୍ମଶାଳା ଜମିର ଲୋଭ ଦେଖାଇ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଶ୍ରୀମନ୍ଦିର ଠାରୁ ୭୫ ମିଟର ପରିଧି ଭିତରେ ଜମି ହରାଇ ଥିବା ବହୁ ବ୍ୟକ୍ତି ଓ ଲଜିଂ ମାଲିକଙ୍କୁ ସରକାର ଭଣ୍ଡାଇଛନ୍ତି ବୋଲି କଂଗ୍ରେସ କହିଛି। ପ୍ରଦେଶ କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି ଯେ, ଶ୍ରୀମନ୍ଦିର ସୁରକ୍ଷା କରିଡର ନାଁରେ ହୋଇଥିବା ଜମି ଅଧିଗ୍ରହଣ ରାଜ୍ୟ ସରକାରଙ୍କର ଜମି ଅଧିଗ୍ରହଣ ଓ ପୁନର୍ବାସ ଥଇଥାନ ଆଇନ୍ ୨୦୧୩ ମୁତାବକ କରାଯାଇନାହିଁ। ଏପରିକି ବଗଲା ଧର୍ମଶାଳା ଜମିକୁ ଯେଭଳି ଚଞ୍ଚକତା କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନାଁରେ ଥିବା ଜମିକୁ ରାଜସ୍ୱ ବିଭାଗ ନାଁରେ ହସ୍ତାନ୍ତର କରାଗଲା ତାହା ସମ୍ପୂର୍ଣ୍ଣ ବେଆଇନ୍। ଏଥିରେ ଓଡିଶା ଲ୍ୟାଣ୍ଡ ସର୍ଭେ ଓ ସେଟଲମେଣ୍ଟ ଆକ୍ଟ, ଓଡିଶା ଲ୍ୟାଣ୍ଡ ରିଫମ୍ସ୍ ଆକ୍ଟ ଓ ଓଡିଶା ଲ୍ୟାଣ୍ଡ ଆକ୍ୟୁଜିସନ୍ ଆଣ୍ଡ ପ୍ରୋସିଜିୟୋର ଆକ୍ଟର ସର୍ତାବଳୀକୁ ସ୍ପଷ୍ଟ ଦିବାଲୋକରେ ସରକାର ଉଲ୍ଲଙ୍ଘନ କରିଛନ୍ତି ବୋଲି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ଜିଲାପାଳ ନିଜେ ଜିଲାର ସର୍ବୋଚ୍ଚ ରାଜସ୍ୱ ଅଧିକାରୀ ହିସାବରେ ଆଇନ୍କୁ ଜଳାଞ୍ଜଳୀ ଦେଇ ନିଜ କ୍ଷମତାର ଦୁରୂପଯୋଗ କରି ଲଜିଂ ହାଉସ୍ ଫଣ୍ଡର ଅଧ୍ୟକ୍ଷ ହିସାବରେ ଲଜିଂ ହାଉସ୍ ଫଣ୍ଡ ନାଁରେ ଥିବା ସ୍ଥିତିବାନ ଜମିକୁ ବେଆଇନ୍ ଭାବରେ ସରକାରୀ ଖାତାକୁ ନେବା ଅତ୍ୟନ୍ତ ଧର୍ତବ୍ୟ ଅପରାଧ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଆଇନ୍ଜୀବୀ ତଥା ମୁଖପାତ୍ର ନିଶିକାନ୍ତ ମିଶ୍ର ବିବେଚନା କରିବା ସହିତ ଜିଲ୍ଲାପାଳଙ୍କ ବିରୋଧରେ ଦୃଢ଼ ଆଇନ୍ଗତ କାର୍ୟ୍ୟାନୁଷ୍ଠାନ ନେବା ସହିତ ତୁରନ୍ତ ବଦଳି କରାଯାଉ ବୋଲି ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅମୀୟ କୁମାର ପଟ୍ଟନାୟକ ଓ ମୁଖପାତ୍ର ରଜନୀ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।