ବ୍ଲକ୍ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ଗ୍ରାମବାସୀ ।
ରାଜକନିକା,୧୪/୯ : ରାଜକନିକା ବ୍ଲକ୍ରେ ବନ୍ୟା ଛାଡ଼ିଯାଇଥିଲେ ମଧ୍ୟ ଦେଇଯାଇଛି ଅସରନ୍ତି ଦୁଃଖ ଆଉ ଯାତନା । କାହାର ସଂପୂର୍ଣ୍ଣ ଘର ଭାଙ୍ଗିଯାଇଛିତ ଆଉ କାହା ବିଲରେ ଧାନ ଫସଲ ଉଜୁଡ଼ି ଯାଇଛି । ହେଲେ ସଠିକ୍ ସହାୟତା ମିଳୁନଥିବାରୁ ବିପନ୍ନମାନେ ବିଡ଼ିଓଙ୍କୁ ଘେରାଉ କରିବାକୁ ବାଧ୍ୟ ହେଉଥିବାର ଜଣାପଡ଼ିଛି । ତୁରନ୍ତ ରିଲିଫ୍ ପ୍ରଦାନ କରାନଗଲେ ରାଜକନିକା ବ୍ଲକ୍ କାର୍ଯ୍ୟାଳୟ ଆଗରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ରିଲିଫ୍ ସହାୟତକୁ ନେଇ ପାତର ଅନ୍ତର କରାଯାଇଥିବାର ଅଭିଯୋଗ ହେଉଛି । ବନ୍ୟାଘେରରେ ରହିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ୫୦ କେଜି ଚାଉଳ ଏବଂ ପାଂଚଶହ ଟଙ୍କା ସହାୟତାରୁ ବଂଚିତ ହୋଇଛନ୍ତି ଶତାଧିକ ବିପନ୍ନ । ୨୦୧୧ ମସିହାରେ ବନ୍ୟାଘେରରେ ରହି ରିଲିଫ୍ ପାଇଥିବା ବିପନ୍ନ ଚଳିତ ବର୍ଷ ପାଣିଘେରରେ ରହିଥିଲେ ମଧ୍ୟ ରିଲିଫ୍ ପାଇବାରୁ ବଂଚିତ ହୋଇଛନ୍ତି । ଏହି କାରଣରୁ ବନ୍ୟା ବିପନ୍ନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ସୋମବାର କଂଟପଡ଼ା ଗ୍ରାମପଂଚାୟତର ଝରମୁହଁ, ଚେରଟଂପଡ଼ା, ଜରିସାହି ଏବଂ କାଳିକାପୁର ଗ୍ରାମର ବନ୍ୟାପାଣି ଘେରରେ ରହିଥିବା ବିପନ୍ନମାନେ ବିଡ଼ିଓଙ୍କୁ ଘେରାଉ କରି ପ୍ରତିବାଦ କରିଛନ୍ତି । ତୁରନ୍ତ ସେମାନଙ୍କୁ ରିଲିଫ୍ ଯୋଗାଇ ଦେବାକୁ ଦାବି କରିଛନ୍ତି । ଗୋଟିଏ ଗାଁରେ ଗୋଟିଏ ପରିବାର ପାଉଥିବା ବେଳେ ନିକଟରେ ରହିଥିବା ପରିବାର ରିଲିଫ୍ରୁ ବଂଚିତ ହୋଇଛନ୍ତି । ଏଭଳି ପାତର ଅନ୍ତରକୁ ବିରୋଧ କରିଛନ୍ତି ଗ୍ରାମବାସୀ । ଆଜି ଶତାଧିକ ମହିଳାଙ୍କ ସହିତ ବନ୍ୟା ବିପନ୍ନ ବିଡ଼ିଓ ବିକ୍ରମ କିଶୋର ପରିଡ଼ା ପ୍ରକୋଷ୍ଠରେ ପହଂଚି ତୁରନ୍ତ ରିଲିଫ୍ ପାଇବା ନେଇ ଜିଦ୍ରେ ଏକ ପ୍ରକାର ଅଟଳ ରହିଥିଲେ । ବିଡ଼ିଓ ଶ୍ରୀପରିଡ଼ା ପୁର୍ନବାର ଅତିରିକ୍ତ ତହସିଲଦାରଙ୍କୁ ଘଟଣାସ୍ଥଳକୁ ପଠାଇ ତଦନ୍ତ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ବଳରାମପୁର ଗ୍ରାମ ପଂଚାୟତର ଦେଓଗାଁର ଶତାଧିକ ବନ୍ୟା ବିପନ୍ନମାନେ ରିଲିଫ୍ ପାଇବା ନେଇ ବିଡ଼ିଓଙ୍କ ନିକଟରେ ଦାବି କରିଛନ୍ତି । ଗ୍ରାମର ବିପନ୍ନମାନେ ଅଭିଯୋଗ କରିଛନ୍ତିଯେ, ୨୦୧୧ରେ ରିଲିଫ୍ ପାଇଥିଲେ । ହେଲେ ଚଳିତ ବର୍ଷ ସେମାନଙ୍କୁ କାହିଁକି ବାଦ୍ ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି । ତୁରନ୍ତ ବିପନ୍ନଙ୍କୁ ରିଲିଫ୍ ଦିଆନଗଲେ ରାଜକନିକା ବ୍ଲକ୍ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଦିଗମ୍ଭର ମାଝି, ବନଲତା ଜେନା, ପ୍ରମିଳା ସାମଲ, ଚକ୍ରଧର ମଲ୍ଲିକ, ପ୍ରହଲ୍ଲାଦ ମହାଳିକ, ଜଗନ୍ନାଥ ତରାଇ, କୌଳାସ ତରାଇ ଏବଂ କଳାକର ବେହେରା ପ୍ରମୁଖ କହିଛନ୍ତି ।