Skip to content
ବ୍ରହ୍ମପୁର,୨୨/୯(ମନୋଜ କୁମାର ପାତ୍ର):ପ୍ରାକୃତିକ ସମ୍ପଦର ଗନ୍ତାଘର ତଥା ଅନେକ ସମ୍ଭାବନା ଥିବା ପରିସୀମା ହେଉଛି ଗଞ୍ଜାମ ଜିଲ୍ଲା।ସାଂସ୍କୃତିକ,ରାଜନୈତିକ କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ଅଳଂକୃତ କରିଆସୁଥିବା ଗଞ୍ଜାମ ଜିଲ୍ଲାର ବେରୋଜଗାର ର ଚିତ୍ର ଅତି ଦହନୀୟ।ସାମ୍ପ୍ରତିକ ପରିସ୍ଥିତିରେ ପ୍ରବାସୀ ଶ୍ରମିକମାନେ ଜିଲ୍ଲାକୁ ଫେରିଥିବାରୁ ବେରୋଜଗାରୀ ଏକ ବଡ ସମସ୍ୟା ରୂପେ ମୁଣ୍ଡ ଟେକିଛି।ସୁରଟ,ମୁମ୍ବାଇ,ଆନ୍ଧ୍ର ପ୍ରଦେଶ ଇତ୍ୟାଦି ଅଞ୍ଚଳରୁ ଆସିଥିବା ଶ୍ରମିକ ମାନଙ୍କ ପାଇଁ କିପରି ଅଧିକରୁ ଅଧିକ ଆତ୍ମନିଯୁକ୍ତି ସୃଷ୍ଟି କରାଯାଇ ପାରିବ ଏବଂ ତତ୍ ସଙ୍ଗେସଙ୍ଗେ ଲଘୁ ଉଦ୍ୟୋଗ ଓ ମଧ୍ୟମ ଉଦ୍ୟୋଗୀଙ୍କ ପାଇଁ କିପରି ନୂଆ ସମ୍ଭାବନା ସୃଷ୍ଟି କରାଯାଇ ପାରିବ ସରକାରୀ ସ୍ତରରେ ପଦକ୍ଷେପ ନେବା ଆବଶ୍ୟକତା ରହିଛି।କିନ୍ତୁ ବିଡମ୍ବନାର ବିଷୟ ଗତ ୩୦ ବର୍ଷ ତଳେ ରେଶମ ସହର ବ୍ରହ୍ମପୁରର ପାଟ,ପିତଳ ଗାମୁଛା ଓ କଟନ ଶାଢ଼ୀ,ଆସ୍କା କଟନ ଶାଢ଼ୀ, ନେସନାଲ୍ ହେରିଟେଜ ଗ୍ରାମ ପଦ୍ମନାଭପୁରର ବସ୍ତ୍ର କିମ୍ବା ସମ୍ବଲପୁରୀ ପାଟ ଇତ୍ୟାଦି ଏକ ମୁଖ୍ୟ ରୋଜଗାରର ପନ୍ଥା ସାଜିଥିବା ସ୍ଥଳେ ବର୍ତମାନ ଏହା କେବଳ ହସ୍ତତନ୍ତ୍ର ମଧ୍ୟରେ ହିଁ ଶିରୋନାମା ପାଲଟି ରହିଯାଇଛି। ବ୍ରହ୍ମପୁର ପାଟ ବିଭିନ୍ନ ପ୍ରୋତ୍ସାହନର ଅଭାବ ତଥା ଅନ୍ୟାନ୍ୟ ପାରିପାର୍ଶ୍ୱିକ ସମସ୍ୟା ଯୋଗୁଁ ତାଙ୍କ କୌଳିକ ବୃତ୍ତିକୁ ଛାଡି ଅନ୍ୟ ରାଜ୍ୟାଭିମୁଖି ହେଉଛନ୍ତି କୁଶଳୀ କାରିଗରମାନେ। ବିଭିନ୍ନ ରାଜ୍ଯରେ ଶ୍ରମ ଭିତ୍ତିକ କାର୍ଯ୍ୟରେ ନିୟୋଜିତ ଓଡ଼ିଆ ଶ୍ରମିକମାନେ କରୋନା ମହାମାରୀ ଯୋଗୁଁ ଜୀବନଜୀବିକା ହରାଇ ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।ଏହି କ୍ରମରେ ଗଞ୍ଜାମ ଜିଲ୍ଲାର ୪ ଲକ୍ଷରୁ ଉର୍ଦ୍ଧ୍ବ ପ୍ରବାସୀ ସୁରତ,ମୁମ୍ବାଇ,ବାଙ୍ଗାଲୋର,ହାଇଦ୍ରାବାଦ, ତାମିଲନାଡୁ ଆଦି ସ୍ଥାନରୁ ନିଜ ଭିଟାମାଟିକୁ ଫେରିଛନ୍ତି। ସମଗ୍ର ବିଶ୍ୱ ବର୍ତ୍ତମାନ କରୋନାର କରାଳ ବିଭୀଷିକାରେ ଜର୍ଜରିତ।କରୋନା ଯୋଗୁଁ ସଂପୂର୍ଣ୍ଣ ସାମାଜିକ ଓ ଆର୍ଥିକ ଦିଗ ଦୀର୍ଘ ୭ ମାସରୁ ଉର୍ଦ୍ଧ୍ବ ସମୟ ଧରି ଦୟନୀୟ ପରିସ୍ଥିତି ଦେଇ ଗତି କରୁଛି।ସାଧାରଣ ଲୋକ ଜୀବିକା ହରାଇ ବେସାହାରା ହୋଇ ଜୀବନ ଯୁଦ୍ଧରେ ସଂଗ୍ରାମ କରୁଛନ୍ତି।ବିଶେଷତଃ ଗରିବ,ମଧ୍ଯବିତ୍ତ ପରିବାର ଓ ବାହାର ରାଜ୍ଯରେ ଶ୍ରମଦାନ କରି ପେଟ ପୋଷୁଥିବା ଲୋକଙ୍କ ଦୁଃଖ କହିଲେ ନସରେ।ଆର୍ଥିକ ସ୍ଥିତି ସେତେ ସ୍ବଚ୍ଛଳ ନଥିବା ଏବଂ ରୋଜଗାର ହରାଇବା କାରଣରୁ ନାନା ସମସ୍ଯା ଦେଇ ଗତି କରୁଛନ୍ତି।କରୋନା ଦାଉରୁ ରକ୍ଷା ପାଇବା ପାଇଁ ଅତି ବିପଦସଂକୁଳ ଅବସ୍ଥାରେ ଘରମୁହାଁ ହୋଇଥିଲେ ଲକ୍ଷ ଲକ୍ଷ କୁଶଳୀ ଓଡ଼ିଆ ଶ୍ରମିକ।ଆଉ ଦେଖାଯାଇଥିଲା ସେମାନଙ୍କୁ ସୁନେଲୀ ସ୍ବପ୍ନର ପ୍ରତିଶ୍ରୁତି।ଯାହା ପରବର୍ତ୍ତୀ ମୂହୁର୍ତ୍ତରେ କାଗଜକଲମରେ ହିଁ ସୀମିତ ରହିଯାଇଛି।ତେଣୁ ପରିବାରର ପେଟପାଟଣା ପାଇଁ ପୁଣି ସୁରାଟ,ମୁମ୍ବାଇ,ହାଇଦ୍ରାବାଦ,ବାଙ୍ଗୋଲୋର କୁ ଯାତ୍ରା ଆରମ୍ଭ କରିଛନ୍ତି ଶହଶହ ଶ୍ରମିକ।ବର୍ତ୍ତମାନ ସ୍ଥିତିକୁ ନଜରରେ ରଖି ୩ ଲକ୍ଷରୁ ଉର୍ଦ୍ଧ୍ଵ କୁଶଳୀ ଏବଂ ଅଣ କୁଶଳୀ ଶ୍ରମିକଙ୍କୁ ନେଇ ଜିଲ୍ଲାରେ ଏକ ବୟନ ଶିଳ୍ପ ପାର୍କ ରାଜ୍ୟ ସରକାରଙ୍କ ତରଫରୁ କାର୍ଯ୍ୟକ୍ଷମ କରାଯିବ ତାହାହେଲେ ଗଞ୍ଜାମ ଜିଲ୍ଲାର ଅର୍ଥନୀତି ସୁଦୃଢ଼ ହେବା ସହ ରୋଜଗାରର ସୁଯୋଗ ସୃଷ୍ଟି ହୋଇପାରିବ।ଅନୁଷ୍ଠାନ ତରଫରୁ ଦିଆଯାଇଥିବା ପ୍ରସ୍ତାବ/ଦାବି ୧.ବେରୋଜଗାର ଦୂରିକରଣ ପାଇଁ ତୁରନ୍ତ ବୟନଶିଳ୍ପ ନେସନାଲ ହେରିଟେଜ ଗ୍ରାମ ପଦ୍ମନାଭ ପୁର ରେ ପ୍ରତିଷ୍ଠା କରାଯାଉ। ୨.ରାଜ୍ଯରୁ ବର୍ତ୍ତମାନ ରୋଜଗାର ଅନ୍ବେଷଣରେ ଯାତ୍ରା କରୁଥିବା ଶ୍ରମିକମାନଙ୍କ ପଂଜୀକରଣ ବ୍ଯବସ୍ଥା କରାଯାଉ। ୩.କରୋନା ସମୟରେ ଆର୍ଥିକ ସ୍ଥିତି ଦେବାଳିଆ ଥିବା ସତ୍ତ୍ବେ ବର୍ତ୍ତମାନ ଯାତ୍ରାରେ ଅଧିକ ଖର୍ଚ୍ଚାନ୍ତ ହେଉଥିବା ଯୋଗୁଁ ବ୍ରହ୍ମପୁର ଷ୍ଟେସନରେ ସମସ୍ତ ଟ୍ରେନ ରହଣୀର ବ୍ଯବସ୍ଥା କରାଯାଉ। ୪.ସର୍ବଦା ଅବହେଳିତ ହେଉଥିବା ସୁରଟରେ ଓଡ଼ିଆ ଶ୍ରମିକମାନଙ୍କ ବିକାଶ ନିମନ୍ତେ ଓଡ଼ିଶା ସରକାରଙ୍କ ତରଫରୁ ଜଣେ ଆଇଏଏସ ଅଫିସରଙ୍କୁ ନିଯୁକ୍ତି ସହ ଗୁଜୁରାଟ ସରକାରଙ୍କ ସହ ବୁଝାମଣା କରି ସ୍ବାସ୍ଥ୍ଯ ସୁରକ୍ଷା ଓ ପିଏଫ୍ ବ୍ଯବସ୍ଥା କରାଯାଉ। ୫.ଆସିକା ସୂତା କଳ କାର୍ଯ୍ୟକ୍ଷମ କରିବା ସହ ହିଂଜୀଳୀ କାଟୁ ଠାରେ ଆଉ ଏକ ସୂତା କଳ କରାଯାଉ ଉପରୋକ୍ତ ସମସ୍ତ ଦିଗକୁ ଗମ୍ଭୀରତାର ସହ ଅନୁଧ୍ଯାନ କରି ତୁରନ୍ତ ସମସ୍ତ ପ୍ରସ୍ତାବ କାର୍ଯ୍ୟକାରୀ କରି ଲକ୍ଷ ଲକ୍ଷ କୁଶଳୀ ଓଡ଼ିଆ ଶ୍ରମିକମାନଙ୍କ ବିକାଶରେ ଅଗ୍ରଗତି ଆଣିବାରେ ଚେଷ୍ଟା କରାଯିବା ପାଇଁ ଅନୁରୋଧ କରୁଛୁ। ଏଥିରେ ପ୍ରଶାନ୍ତ ପାଣିଗ୍ରାହୀ, ଅରୁଣ ପାଠୀ,ସଂଗ୍ରାମ ପାଢ଼ୀ,ଆଲୋକ ନାୟକ, ସପଟା ନୀଳକଣ୍ଠ, ଭଗବାନ ପଣ୍ଡା, କବିରାଜ ବେହେରା, କାଳିଆ ସ୍ବାଇଁ,ନିରଞ୍ଜନ ପାଢ଼ୀ , ହରିହର ସ୍ବାଇଁ ଶିବ ଶଙ୍କର ସାହୁ ସହଯୋଗ କରିଥିଲେ । ଶ୍ରୀକାନ୍ତ ପାଢ଼ୀଙ୍କ ନେତୃତ୍ୱରେ ଗଞ୍ଜାମର ଓଡ଼ିଆ ପ୍ରବାସୀଙ୍କ ସମସ୍ୟା ସମ୍ପର୍କରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।