338

ମୁଁ ରିକ୍ସାବାଲା……

କେନ୍ଦ୍ରାପଡ଼ା ,୩୦ /୭(ଓଡିଆନ ମିଡିଆ) : ‘ମୁଁ ରିକ୍ସାବାଲା…ଆସ ବାବୁ କିସ୍ ଦାଦା ନା ଭୟା ହୋ ଲାଲା…ଆମ ରିକ୍ସା ଅଛି ଖାଲି, କାହିଁ ଯିବ ଭଲା । କାହିଁକି ବାବୁ ଠିଆ ହୋଇଛ, ମୋ ରିକ୍ସା ଆଗ ଗାଡ଼ିତ ପଛ…. ।’ ୧୯୭୭ ମସିହାର ଏଇ କେତେ ଧାଡ଼ି ଗୀତ ଥିଲା ଓଡ଼ିଆ ଚଳଚିତ୍ର “ପୁର୍ନମିଳନ’ର । ରିକ୍କାବାଲାଙ୍କ ଉପରେ ସୁନ୍ଦର ଗୀତକୁ ଗାଇଥିଲେ ସିକନ୍ଦର ଆଲାମ । ଆଜି ୪୩ ବର୍ଷ ପରେ ବଦଳିଯାଇଛି ରିକ୍ସାବାଲାଙ୍କ ଭାଗ୍ୟ । ସେଦିନର ମୋ ରିକ୍ସା ଆଗ ଗାଡ଼ିତ ପଛ ଆଜି ବଦଳିଯାଇଛି । ଆଜି ଗାଡ଼ି ଆଗ ରିକ୍ସାତ ପଛରେ ନାହିଁ, ତାହା ଇତିହାସ ପାଲଟିବାକୁ ବସିଛି । କାଁଭାଁ ରିକ୍ସା ଦେଖିବାକୁ ମିଳୁଛି । ଆଜି ଯେଉଁମାନେ ରିକ୍ସା ଚଳାଇ ନିଜ ପରିବାର ଚଳାଉଛନ୍ତି ସେମାନଙ୍କ ଜୀବନ ଜୀବିକା ବଡ଼ ଦୟନୀୟ ହୋଇପଡ଼ିଛି । ଏମିତିକି ରିକ୍ସାକୁ ଭରସା କରି ଖାଇବାକୁ ମୁଠେ ପାଉନାହାଁନ୍ତି । ପ୍ରତି ଗାଁରେ ଥିଲା ଦଶବାର ଖଣ୍ଡ ରିକ୍ସା । ହେଲେ ଏବେ ରାଜକନିକା ବ୍ଲକ୍‌ରେ ଗୋଟିଏ ରିକ୍ସା ଦେଖିବା ସ୍ୱପ୍ନ ହୋଇପଡ଼ିଛି । ଗୋଟିଏ ଜୋଡ଼ିଏ ରିକ୍ସା ଏବେ ନିଜର ଅସ୍ତିତ୍ୱ ହରାଇବାକୁ ବସିଛି । ଯେଉଁମାନେ ରିକ୍ସା ଚଳାଇ ପରିବାର ଚଳାଉଥିଲେ, ସେମାନେ ଆଜି ଅନ୍ୟକାମ ଧନ୍ଧା କରିବାକୁ ବସିଲେଣି । କେହି କେହି ରିକ୍ସା ବିକିଦେଲେଣି । ରିକ୍ସା ଚଳାଇ ଆଉ ପରିବାର ଚଳାଇବା କଷ୍ଟକର ହୋଇପଡ଼ୁଛି ବୋଲି କହୁଛନ୍ତି । ରାସ୍ତା ଉପରକୁ ରିକ୍ସା ଆଣିଲା ବେଳେ ସେହି ପୁରୁଣା ଦିନ କଥା ବେଶୀ ମନେପଡ଼ୁଥିବାର କହନ୍ତି ରିକ୍ସାବାଲା । ବାବୁ ଏବେତ ଗାଡ଼ି ମଟର । ଆମକୁ କିଏବା ପଚାରେ । ସମୟତ ବଦଳିଯାଇଛି । ଯେତେ ବେଳେ ଗାଡ଼ିମଟର ନଥିଲା, ଆଉ ରାଜକନିକାରେ ନଦୀ ଉପରେ ସେତୁ ହୋଇନଥିଲା । ବେଶ୍ ଚାହିଦା ରହିଥିଲା ରିକ୍ସାବାଲାଙ୍କର । ପୂର୍ବଦିନ ଘରକୁ ଆସି ବରାଦ କରିଦେଉଥିଲେ ଲୋକେ । ରାତି ନପାହାହୁଣୁ ଆମେ ଲୋମାନଙ୍କୁ ନେବା ପାଇଁ ତାଙ୍କ ଘର ଆଗରେ ହାଜର ହୋଇଯାଉଥିଲୁ । ଗଡ଼ଗଡ଼ି ଘାଟପାଖରେ ପହଂଚିଲା ବେଳକୁ ରାତି ପାହିଯାଉଥିଲା । ପୁଣି କେତେ ବେଳେ ଚାନ୍ଦବାଲି ଘାଟ ପାଖକୁ ଲୋକମାନଙ୍କୁ ନେବାକୁ ପଡ଼ୁଥିଲା । ଦଶ ଟଙ୍କା କୋଡ଼ିଏ ଟଙ୍କାରେ ଭଡ଼ା ମିଳୁଥିଲା । ଲୋକମାନେ ସହଳ ସହଳ ଘାଟପାରି ହୋଇ ବସ୍‌ରେ କଟକ ଆଉ ଭୁବନେଶ୍ୱର ଯାଉଥିଲେ । ପୁଣି ଘାଟ ପାଖରୁ ମିଳିଯାଉଥିଲା ଭଡ଼ା । ରାସ୍ତାରେ ଗାଡ଼ିମଟର କିଛିବି ନଥିଲା । ଲୋକମାନଙ୍କୁ ନେବା ଆଣିବାରେ ଆମମାନଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗୀତା ହେଉଥିଲା । କେତେ ନାମକରା ଲୋକମାନେ ଆମ ରିକ୍ସାରେ ବସି ଯାଆସ କରୁଥିଲେ ବାବୁ । ସେକଥା କହିଲେ ଆଖିରୁ ଲୁହ ଆସିଯାଉଥିବାର କହନ୍ତି ଗିରିଆ-କୋଠସାହି ଗ୍ରାମର ବିଦ୍ୟାଧର ଦାସ । ଏବେବି ରିକ୍ସା ଚଳାଇ ପରିବାର ବଂଚାଇ ରଖିବାର ଭରସା ରଖିଛନ୍ତି । ତିରିଶ ବର୍ଷ ହେଲା ସେ ରିକ୍ସା ଚଳାଇ ଆସୁଛନ୍ତି । ଆଜି ଯାଏ ଛାଡ଼ିପାରି ନାହାଁନ୍ତି । ଏବେ କରୋନା ମହାମାରୀ ସମୟରେ ଭୋକ ଓପାସରେ ରହିବାକୁ ପଡ଼ୁଥିବାର କହନ୍ତି ବିଦ୍ୟାଧର । ଆମକୁ ସରକାରର କିଛି ହେଲେ ସହାୟତା ଦେଉନାହାଁନ୍ତି । କ୍ଷୋଭର ସହିତ କହନ୍ତି ସେ । ଗାଡ଼ିମଟର ଚାଲିବା ଫଳରେ ଯେମିତି ରିକ୍ସାର ଜୀବନଯାତ୍ରାରେ ବ୍ୟାଘାତ୍ ଘଟିଛି । ସେହିଭଳି ଦୃତ ଗତିରେ ପରିବର୍ତନ ହେଉଥିବା ଆମ ସମାଜରୁ ଲୋପ ପାଉବାକୁ ବସିଛି ଆମ ବାପ ଅଜା ଅମଳର ଯାତାୟତର ମାଧ୍ୟମ ରିକ୍ସା । ସମୟ ଆସିବ ଛପା ଅକ୍ଷରରେ ବଂଚି ରହିବ ରିକ୍ସା । ହେଲେ ଏବେ ଏହି ରିକ୍ସା ଚଳାଇ ଭରଣପୋଷଣ କରୁଥିବା ଚାଳକମାନଙ୍କ କଥା ଚିନ୍ତା କରିବା ପାଇଁ ସରକାରଙ୍କର ସମୟ ଆସିଛି ।

Spread the love